Sandhya kabita
ସନ୍ଧ୍ୟା ଭକ୍ତକବି ମଧୁସୂଦନ ରାଓ ଅସ୍ତ ହେଲେ ଦିନମଣି ହେଲା ଦିନ ଶେଷ ଆସଇ ରଜନୀରାଣୀ ଧରି କଳାବେଶ, ସନ୍ଧ୍ୟା ହେଲା ସନ୍ଧ୍ୟା ହେଲା ବୋଲି ପକ୍ଷୀଗଣ ରାବଦେଇ ଯେଝା ବାସେ କରନ୍ତି ଗମନ । । ଧୂଳି ଉଡ଼ାଇଣ ଦାଣ୍ଡେ କରି ହମ୍ବା ରଡ଼ି ଯାଉଛନ୍ତି ଗୋରୁପଲ ଗୋଠରୁ ବାହୁଡ଼ି, ହଳ କାମ ସାରି ଚଷା ମହାଆନନ୍ଦରେ ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ । । ଚାହୁଁ ଚାହୁଁ ଅନ୍ଧକାର ଘୋଟଇ ଗଗନ ଆବରଇ ଜଳ ସ୍ଥଳ ପର୍ବତ କାନନ। ରତ୍ନ ଦୀପାବଳି ପ୍ରାୟେ ତାରା କୋଟିକୋଟି, ଜଳୁଛନ୍ତି ଆକାଶରେ ହୋଇ ଗୋଟିଗୋଟି । । ଭାଙ୍ଗି ଯାଇଅଛି ଏବେ ଦିବସ ଗହଳ, ନାହିଁ ଆଉ ଏ ଭୁବନେ ଜୀବନ ଚହଳ । ଦିନ-ଶ୍ରମ ଅନ୍ତେ ବସି ନିଜନିଜ ଘରେ, ବିଶ୍ରାମ ଲୋଡ଼ନ୍ତି ସର୍ବେ ଆକୁଳ ଅନ୍ତରେ । ଧୀରେ ଆସୁଅଛି ନିଦ୍ରା, ନରନାରୀଗଣ, ତାହାର ପରଶେ ଏବେ ମୁଦିବେ ନୟନ ।